‘ମୁଁ କେବଳ କଟକ ମେୟର, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲି’
କଟକ(ଓଡ଼ିଶା ରିପୋର୍ଟର): ସିଲିଭର ସିଟି କଟକ ମେୟର ଆସନରେ ବସିବାର ପ୍ରାୟ ୧୫ ଦିନ ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିଛନ୍ତି ସୁବାସ ସିଂହ ।
କଟକ ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଏ ସଂପର୍କରେ ଲିଖିତ ଭାବେ ଅବଗତ କରାଇଥିଲେ ସୁବାସ ସିଂ। ଏଥିସହ ଆଇନଗତ ଦିଗ କ’ଣ ରହିଛି ବୋଲି ସଂସଦର ପରାମର୍ଶ ଲୋଡ଼ିଥିଲେ। ପାର୍ଲାମେଣ୍ଟ ପକ୍ଷରୁ ଏ ସଂପର୍କରେ ତାଙ୍କୁ ଲିଖିତ ଭାବେ ଜଣାଇ ଦିଆଯିବା ପରେ ଆଜି ବିଧିବଦ୍ଧ ଭାବେ ସେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ଏ ନେଇ ସୁବାସ ସିଂ କହିଛନ୍ତି, କଟକ ମହାନଗର ନିଗମ ନିର୍ବାଚନରେ ମାର୍ଚ୍ଚ ୨୬ରେ ନିର୍ବାଚିତ ହୋଇଥିଲି। ଏପ୍ରିଲ ୭ରେ ମେୟର ଭାବେ ଶପଥ ନେଲି। ଏହା ପରେ ଆଜି ମୁଁ ସାଂସଦ ପଦରୁ ଇସ୍ତଫା ଦେଉଛି। ମୁଁ କେବଳ କଟକ ମେୟର ଭାବେ କାର୍ଯ୍ୟ କରିବି।
ସୂଚନାଯୋଗ୍ୟ, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବସ୍ତି ବାସିନ୍ଦାଙ୍କ ପାଇଁ ସଂଗ୍ରାମ କରି ଆସୁଥିବା ସୁବାସ ସିଂ ପ୍ରଥମେ ସିପିଆଇଏମ୍ ଦଳର ସକ୍ରିୟ କର୍ମୀ ଥିଲେ। ଏହାପରେ ୨୦୧୩ ଜୁନ ମାସରେ ସିପିଆଇଏମ୍ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ୨୦୨୦ ମାର୍ଚ୍ଚରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। କିନ୍ତୁ ୨ବର୍ଷ ନ ପୁରୁଣୁ ତାଙ୍କୁ ସେଠାରୁ ଆଣି କଟକ ମେୟର ପ୍ରାର୍ଥୀ କରାଇଥିଲା। ଯଦିଓ ମେୟର ଟିକେଟ୍ ପାଇଁ ଆଶୟୀ ତାଲିକାରେ କଟକରେ ଅନେକ ନେତା ରହିଥିଲେ ତଥାପି ଦଳ ତାଙ୍କ ଭରସାରେ କଟକ ମେୟର ପଦବୀ ହାତେଇବାକୁ ଗେମପ୍ଲାନ୍ ପ୍ରସ୍ତୁତ କରି ସଫଳ ହୋଇଥିଲା। ତେଣୁ ମେୟର ଦାୟିତ୍ୱକୁ ସୁରୁଖୁରରେ ସମ୍ପାଦନ କରିବାକୁ ଆଜି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂହ।